ଦାନିୟେଲଙ୍କ ପୁସ୍ତକ 4-6
Odia Holy Bible: Easy-to-Read Version
ନବୂଖଦ୍ନିତ୍ସରଙ୍କ ବୃକ୍ଷ ବିଷୟରେ ସ୍ୱପ୍ନ
4 ସମୁଦାୟ ପୃଥିବୀ ନିବାସୀ ଯାବତୀୟ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍ନିତ୍ସର ରାଜାଙ୍କର ବିଜ୍ଞାପନ,
ତୁମ୍ଭମାନଙ୍କର ବାହୁଲ୍ୟରୂପେ ଶାନ୍ତି ହେଉ।
2 ସର୍ବୋପରିସ୍ଥ ପରମେଶ୍ୱର ମୋ’ ପାଇଁ ଯେଉଁ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।
3 ପରମେଶ୍ୱରଙ୍କ ଚମତ୍କାରସବୁ ଶକ୍ତିଶାଳୀ,
ଅଦ୍ଭୂତ ଅଟେ।
ସେ ଅନନ୍ତକାଳ ପାଇଁ ଶାସନ କରିବେ
ଓ ତାଙ୍କର ରାଜ୍ୟ କେବେ ସମାପ୍ତ ହେବ ନାହିଁ।
4 ମୁଁ ନବୂଖଦ୍ନିତ୍ସର ମୋର ନିଜ ପ୍ରାସାଦରେ ଶାନ୍ତି ଓ ଶକ୍ତିଶାଳୀ ଥିଲି। 5 ମୁଁ ଗୋଟିଏ ସ୍ୱପ୍ନ ଦେଖିଲି ଓ ତାହା ମୋତେ ଭୟଭୀତ କଲା। ଆଉ ମୁଁ ଶଯ୍ୟା ଉପରେ ଥିବା ବେଳେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉଦ୍ବିଗ୍ନ କଲା। 6 ତେଣୁ ସ୍ୱପ୍ନର ଅର୍ଥ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ ଲୋକଙ୍କୁ ମୋ’ ନିକଟକୁ ଆଣିବା ପାଇଁ ଆଜ୍ଞା କଲି। 7 ଯେତେବେଳେ ମନ୍ତ୍ରଜ୍ଞଗଣକ କଲ୍ଦୀୟ ଓ ଶୁଭାଶୁଭବାଦୀମାନେ ମୋ’ ନିକଟକୁ ଆସିଲେ, ମୁଁ ସେମାନଙ୍କୁ ସ୍ୱପ୍ନ ବିଷୟରେ ଜଣାଇଲି, ମାତ୍ର ସେମାନେ ତାହାର ଅର୍ଥ ମୋତେ କହି ପାରିଲେ ନାହିଁ। 8 ଅବଶେଷରେ ମୋ’ ଦେବତାର ନାମାନୁସାରେ ବେଲ୍ଟଶତ୍ସର ନାମ ବିଶିଷ୍ଟ ଦାନିୟେଲ ମୋ’ ନିକଟକୁ ଆସିଲେ, ତାହାଙ୍କ ଅନ୍ତରରେ ପବିତ୍ର ପରମେଶ୍ୱରଙ୍କ ଆତ୍ମା ଅଛନ୍ତି, ମୁଁ ତାଙ୍କୁ ସ୍ୱପ୍ନ ବିଷୟରେ ଜଣାଇଲି। 9 “ମୁଁ କହିଲି, ହେ ମନ୍ତ୍ରଜ୍ଞଗଣଙ୍କ ଅଧ୍ୟକ୍ଷ ବେଲ୍ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ବୁଝିବା ତୁମ୍ଭ ପାଇଁ କଷ୍ଟକର ନୁହେଁ, ଏଣୁ ଦୟାକରି ମୋତେ ମୋର ସ୍ୱପ୍ନ କଥା ଓ ତାହାର ଅର୍ଥ କୁହନ୍ତୁ। 10 ମୁଁ ଶଯ୍ୟାରେ ଶୋଇଥିବା ବେଳେ ମୋ’ ମନର ଦର୍ଶନ ଏହିପରି ଥିଲା। ମୁଁ ଅନାଇଲି ଓ ଦେଖିଲି ଭୂମଣ୍ତଳର ମଧ୍ୟସ୍ଥଳରେ ଏକ ବୃକ୍ଷ ଥିଲା ଓ ତାହା ଅତି ଉଚ୍ଚ ଥିଲା। 11 ସେ ବୃକ୍ଷ ବଢ଼ିଲା ଓ ଦୃଢ଼ ହେଲା। ଉଚ୍ଚତାରେ ତାହା ଆକାଶକୁ ସ୍ପର୍ଶ କଲା। ପୁଣି ପୃଥିବୀର ସବୁ ସ୍ଥାନରେ ତାହା ଦୃଶ୍ୟମାନ ହେଲା। 12 ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା, ଆଉ ସେ ଗଛରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ସେହି ବୃକ୍ଷତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀମାନେ ତାହାର ଶାଖାମାନଙ୍କରେ ବାସ କଲେ। ସମସ୍ତ ପ୍ରାଣୀ ସେଥିରୁ ଖାଦ୍ୟ ପାଇଲେ।
13 “ମୁଁ ଶଯ୍ୟା ଉପରେ ଥିବା ବେଳେ ଦର୍ଶନ ପାଇଲି। ଏକ ପବିତ୍ର ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ। 14 ସେ ଉଚ୍ଚସ୍ୱରରେ କହିଲେ, ‘ଏହି ବୃକ୍ଷକୁ ଛେଦନ କର। ତହିଁର ଶାଖା ସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡ଼ି ଦିଅ ଓ ଫଳଗୁଡ଼ିକୁ ବିଞ୍ଚି ଦିଅ। ତାହାର ତଳେଥିବା ପଶୁମାନେ ଓ ଶାଖାରେ ଥିବା ପକ୍ଷୀମାନେ ପଳାଇ ଯାଆନ୍ତୁ। 15 ତାହାର ମୂଳ ଲୌହ ଓ ପିତ୍ତଳମୟ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ ତୃଣରେ ରଖ ଓ ତାହା ଆକାଶର କାକରରେ ତିନ୍ତୁ। ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ। 16 ତାହା ମାନବ ହୃଦୟ ନ ହେଉ ଓ ସେ ପଶୁ ହୃଦୟ ପ୍ରାପ୍ତ ହେଉ। ଆଉ ତାହା ଉପରେ ସାତ ବର୍ଷ ଅତିବାହିତ ହୋଇ ଯାଉ।’
17 “ଜଣେ ପବିତ୍ର ସ୍ୱର୍ଗଦୂତ ଏହି ଦଣ୍ତ ଘୋଷଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ୟମାନଙ୍କ ଉପରେ ସର୍ବୋପରିସ୍ଥ ପରମେଶ୍ୱର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ୱର ନମ୍ର ଲୋକକୁ ରାଜ୍ୟ ଶାସନ ପାଇଁ ନିଯୁକ୍ତ କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।
18 “ମୁଁ, ରାଜା ନବୂଖଦ୍ନିତ୍ସର, ଏହି ସ୍ୱପ୍ନ ଦେଖିଥିଲି। ବର୍ତ୍ତମାନ ହେ ବେଲ୍ଟଶତ୍ସର, ଏହାର ଅର୍ଥ ବ୍ୟାଖ୍ୟା କର। ମୋ’ ରାଜ୍ୟର ସମସ୍ତ ବିଦ୍ୱାନ ଲୋକମାନେ ଏହାର ଅର୍ଥ ବ୍ୟାଖ୍ୟା କରିବାକୁ ଅକ୍ଷମ ଅଟନ୍ତି। ମାତ୍ର ତୁମ୍ଭେ କେବଳ ଜଣେ, ଯିଏ କି ଏହା କରି ପାରିବ। କାରଣ ତୁମ୍ଭ ଅନ୍ତରରେ ପବିତ୍ର ପରମେଶ୍ୱରଙ୍କର ଆତ୍ମା ବିରାଜିତ ଅଟେ।”
19 ତହିଁରେ ବେଲ୍ଟଶତ୍ସର ନାମକ ଦାନିୟେଲ କିଛିକ୍ଷଣ ଅବାକ୍ ହୋଇ ରହିଲେ। ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, “ହେ ବେଲ୍ଟଶତ୍ସର ସେହି ସ୍ୱପ୍ନ କିମ୍ବା ତାହାର ଅର୍ଥ ତୁମ୍ଭକୁ ବ୍ୟାକୁଳିତ ନ କରୁ।”
ବେଲ୍ଟଶତ୍ସର ଉତ୍ତର କରି କହିଲେ, “ହେ ମୋର ମହାଶୟ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତାହାର ଅର୍ଥ ଘଟୁ। 20-21 ଆପଣ ଯେଉଁ ବୃକ୍ଷ ଦେଖିଲେ, ତାହା ଶକ୍ତିଶାଳୀ ହୋଇ ବଢ଼ିଲା ଓ ଉଚ୍ଚତାରେ ଗଗନସ୍ପର୍ଶୀ ହେଲା। ତାହା ସମୁଦାୟ ପୃଥିବୀରେ ଦୃଶ୍ୟମାନ ହେଲା। ତାହାର ପତ୍ରସବୁ ସୁନ୍ଦର ହେଲା ଓ ସେଥିରେ ପ୍ରଚୁର ଫଳ ହେଲା। ସେଥିରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। ଆଉ ତାହାର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ ଓ ତାହାର ଶାଖା ଗୁଡ଼ିକ ଉପରେ ଆକାଶର ପକ୍ଷୀମାନେ ବସତି କଲେ। 22 ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହୋଇଅଛନ୍ତି। କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି।
23 “ଏବଂ ଆପଣ ମଧ୍ୟ ଦେଖିଲେ ଯେ, ସ୍ୱର୍ଗରୁ ପବିତ୍ର ସ୍ୱର୍ଗଦୂତ ଓହ୍ଲାଇ ଆସି କହିଲେ, ‘ଏ ବୃକ୍ଷକୁ ବିନଷ୍ଟ କରି ଛେଦନ କର। କିନ୍ତୁ ଏହା ମୂଳକୁ ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ। ଆଉ ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ ସାତ ବର୍ଷ ଅତିକ୍ରମ କରିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣ ସହିତ ତାହାର ଅଂଶ ହେଉ।’
24 “ହେ ମହାରାଜ, ଏଥିର ଅର୍ଥ ଏହି। ଆଉ ସର୍ବୋପରିସ୍ଥ ମୋର ସଦାପ୍ରଭୁ ମହାରାଜାଙ୍କ ପ୍ରତି ଏହା ଘଟିବ ବୋଲି ନିରୂପଣ କରିଛନ୍ତି। 25 ତୁମ୍ଭେ ମନୁଷ୍ୟମାନଙ୍କ ସଙ୍ଗ ମଧ୍ୟରୁ ବିତାଡ଼ିତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକରରେ ତିନ୍ତିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିବ। ଶେଷରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ୱର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ୟ ଦାନ କରନ୍ତି।
26 “ଆଉ ବୃକ୍ଷର ମୂଳ, ଗଣ୍ତି ଛାଡ଼ିବାକୁ ଆଜ୍ଞା ଦିଆଯିବାର ଅର୍ଥ ଏହି ଯେ, ତୁମ୍ଭେ ପୁଣି ତୁମ୍ଭର ରାଜ୍ୟ ଫେରି ପାଇବ, କିନ୍ତୁ ତୁମ୍ଭେ ନିଶ୍ଚିତ ଅନୁଭବ କରିବା ଉଚିତ୍ ଯେ, ସର୍ବୋପରିସ୍ଥ ପରମେଶ୍ୱର ରାଜ୍ୟରେ ଶାସନ କରନ୍ତି। 27 ତେଣୁ ହେ ମହାରାଜ, ଆପଣ ମୋର ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦେଖାଇ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହାହେଲେ ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।”
28 ରାଜା ନବୂଖଦ୍ନିତ୍ସରଙ୍କ ପ୍ରତି ଏ ସମସ୍ତ ଘଟିଲା। 29-30 ସ୍ୱପ୍ନର ବର୍ଷକ ପରେ ରାଜା ନବୂଖଦ୍ନିତ୍ସର ବାବିଲର ନିଜ ପ୍ରାସାଦ ଉପରେ ବୁଲୁଥିବା ବେଳେ, ରାଜା କହିଲା, “ଏହି ବାବିଲକୁ ଦେଖ! ମୁଁ ମୋର ପ୍ରତାପରେ ଏହି ମହାନ ନଗର ନିର୍ମାଣ କରିଛି ଓ ମୋର ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କେଡ଼େ ମହାନ।”
31 ରାଜାଙ୍କ ମୁଖରୁ କଥା ଶେଷ ନ ହେଉଣୁ, ଏହି ସ୍ୱର୍ଗୀୟବାଣୀ ହେଲା, “ହେ ରାଜା ନବୂଖଦ୍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି ଯେ ତୁମ୍ଭଠାରୁ ରାଜ୍ୟ କାଢ଼ି ନିଆଗଲା। 32 ଏବଂ ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ବିତାଡ଼ିତ ହେବ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧ୍ୟରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିଯିବ। ଶେଷରେ ଯେ ସର୍ବୋପରିସ୍ଥ ପରମେଶ୍ୱର ସମଗ୍ର ମନୁଷ୍ୟ ଉପରେ ପ୍ରଭୁତ୍ୱ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।”
33 ସେହିସବୁ ଦଣ୍ତ ତତ୍କ୍ଷଣାତ୍ ନବୂଖଦ୍ନିତ୍ସରଙ୍କ ପ୍ରତି ଘଟିଲା। ସେ ମନୁଷ୍ୟମାନଙ୍କ ମଧ୍ୟରୁ ବିତାଡ଼ିତ ହୋଇ ଗୋରୁପରି ତୃଣ ଭକ୍ଷ୍ୟଣ କଲେ। ଆଉ ସେ ଆକାଶର କାକରରେ ତିନ୍ତିଲେ। ଶେଷରେ ତାହାର କେଶ ଉତ୍କ୍ରୋଶପକ୍ଷୀର ପର ତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ବଢ଼ିଲା।
34 ଅନନ୍ତର ସେହି ସମୟର ଶେଷରେ ମୁଁ ନବୂଖଦ୍ନିତ୍ସର, ସ୍ୱର୍ଗଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କଲି। ସେତେବେଳେ ମୋର ମନ ଠିକ୍ ବାଟକୁ ଆସିଗଲା। ତା’ପରେ ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କର ପ୍ରଶଂସା କଲି। ସେହି ଅନନ୍ତ ଜୀବିଙ୍କୁ ଧନ୍ୟବାଦ ଜଣାଇ ସମାଦର କଲି।
କାରଣ ତାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ
ଓ ତାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ।
35 ପୁଣି ପୃଥିବୀ ନିବାସୀ ସମସ୍ତେ
ତୁଚ୍ଛ ବସ୍ତୁ ସଦୃଶ।
ଆଉ ସ୍ୱର୍ଗୀୟ ଶକ୍ତି ବଳରେ ପରମେଶ୍ୱର ନିଜ ଇଚ୍ଛାନୁସାରେ
ପୃଥିବୀ ନିବାସୀମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି।
କେହି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନ ପାରେ
ଓ କେହି ତାଙ୍କୁ କିଛି ପ୍ରଶ୍ନ କରି ନ ପାରେ।
36 ଆଉ ସେହି ସମୟରେ ପରମେଶ୍ୱର ମୋର ଉତ୍ତମ ବୁଦ୍ଧି ମୋତେ ଫେରାଇ ଦେଲେ। ମୋ’ ରାଜ୍ୟର ଗୌରବ ନିମନ୍ତେ ମୋର ତେଜ ଓ ପ୍ରତାପ ମୋ’ ପାଖକୁ ଫେରି ଆସିଲା। ମୋର ମନ୍ତ୍ରୀ ଓ ଅମାତ୍ୟମାନେ ପୁନର୍ବାର ମୋର ପରାମର୍ଶ ଲୋଡ଼ିଲେ। ମୁଁ ପୁନର୍ବାର ରାଜା ହେଲି ଓ ମୋର ମହିମା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଲା। 37 ଏଣୁ ମୁଁ ନବୂଖଦ୍ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିୟା ସତ୍ୟ ଓ ତାଙ୍କର ପଥ ସବୁ ନ୍ୟାର୍ଯ୍ୟ। ଆଉ ସେ ଗର୍ବୀମାନଙ୍କୁ ନମ୍ର କରନ୍ତି।
କାନ୍ଥ ଉପରେ ଲେଖା
5 ରାଜା ବେଲ୍ଶତ୍ସର ନିଜର ସହସ୍ର ଅମାତ୍ୟବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧ୍ୟରେ ରାଜା ଦ୍ରାକ୍ଷାରସ ପାନ କଲେ। 2 ବେଲ୍ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖଦ୍ନିତ୍ସର। ଯିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପାରେ ପାତ୍ରଗୁଡ଼ିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥିରେ ସେ, ତାଙ୍କର ଅମାତ୍ୟଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ। 3 ତାଙ୍କର ଲୋକମାନେ ଯିରୁଶାଲମସ୍ଥ ମନ୍ଦିରରୁ ଅର୍ଥାତ୍ ପରମେଶ୍ୱରଙ୍କ ମନ୍ଦିରରୁ ଯେଉଁସବୁ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିଲା, ତାହା ଲୋକମାନେ ଆଣିଲେ। ପୁଣି ରାଜା ତାଙ୍କର ଅମାତ୍ୟ ଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ସେହି ପାତ୍ରରେ ପାନ କଲେ। 4 ସେମାନେ ଦ୍ରାକ୍ଷାରସ ପାନ କରୁଥିବା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦେବଗଣର ପ୍ରଶଂସା କଲେ।
5 ସେହି ସମୟରେ ହଠାତ୍ ମନୁଷ୍ୟର ଏକ ହସ୍ତ ଦଶୃମାନ ହେଲା ଓ ରାଜପ୍ରାସାଦର କାନ୍ଥର ଲେପନ ଉପରେ ଅଙ୍ଗୁଳିରେ ଲେଖିଲା। ସେହି ହସ୍ତ ଦୀପରୁଖା ନିକଟସ୍ଥ ରାଜପ୍ରାସାଦ କାନ୍ଥରେ ଲେଖୁଥିଲା। ଆଉ ରାଜା ଲେଖୁଥିବା ସ୍ୱହସ୍ତର ଅଂଶ ଦେଖୁଥିଲେ।
6 ତହିଁରେ ରାଜା ଭୟଭୀତ ହେଲେ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତାଙ୍କର ଆଣ୍ଠୁ ଥରିଲା ଓ ଆଣ୍ଠୁକୁ ଆଣ୍ଠୁ ବାଜିଲା। ତାଙ୍କର ଗୋଡ଼ ଏତେ ଦୁର୍ବଳ ହେଲା ଯେ ସେ ଛିଡ଼ା ହୋଇ ପାରିଲେ ନାହିଁ। 7 ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ତାଙ୍କ ସମ୍ମୁଖକୁ ରାଜା ଡକାଇଲେ। ସେ ବାବିଲନୀୟ ବିଦ୍ୱାନମାନଙ୍କୁ କହିଲେ, “ଯେକେହି ଏହି ଲେଖା ପଢ଼ିପାରିବ ଓ ତାହାର ଅର୍ଥ ବାହାର କରି ପାରିବ, ତାଙ୍କୁ ମୁଁ ବାଇଗଣିଆ ରଙ୍ଗର ବସ୍ତ୍ର ଉପହାର ଦେବି ଓ ତାଙ୍କ କଣ୍ଠରେ ସୁବର୍ଣ୍ଣର ହାର ପିନ୍ଧାଇ ଦେବି। ଆଉ ସେ ରାଜ୍ୟର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବ।”
8 ତେଣୁ ରାଜାଙ୍କର ସମସ୍ତ ବିଦ୍ୱାନ ଲୋକ ଭିତରକୁ ଯଦିଓ ଆସିଲେ, ସେମାନେ ଲେଖା ପଢ଼ି ପାରିଲେ ନାହିଁ କି ତାହାର ଅର୍ଥ ବୁଝିଲେ ନାହିଁ। 9 ରାଜା ବେଲ୍ଶତ୍ସରଙ୍କ ଅମାତ୍ୟଗଣ ଦ୍ୱନ୍ଦରେ ପଡ଼ିଲେ। ଆଉ ରାଜା ଅଧିକ ଉଦ୍ବିଗ୍ନ ହେଲେ ଓ ତାଙ୍କର ମୁଖ ବିବର୍ଣ୍ଣ ହେଲା।
10 ତା’ପରେ ରାଣୀ ଭୋଜନଗାରକୁ ଆସିଲେ। ସେ ରାଜା ଓ ତାଙ୍କର ଅଧିକାରୀଗଣଙ୍କ କଥା ଶୁଣିଥିଲେ। ସେ କହିଲେ, “ହେ ରାଜା, ଦୀର୍ଘଜୀବୀ ହୁଅ, ତୁମ୍ଭର ଭାବନା ତୁମ୍ଭକୁ ଉଦ୍ବିଗ୍ନ ନ କରୁ କି ତୁମ୍ଭର ମୁଖମଣ୍ତଳ ବିବର୍ଣ୍ଣ ନ ହେଉ। 11 ତୁମ୍ଭ ରାଜ୍ୟରେ ଜଣେ ଲୋକ ଅଛନ୍ତି, ଯାହାଙ୍କ ଅନ୍ତରରେ ପବିତ୍ର ଦେବଗଣ ଆତ୍ମା ବିରାଜିତ। ପୁଣି ତୁମ୍ଭ ପିତାଙ୍କ ସମୟରେ ଦେବଗଣର ଜ୍ଞାନତୁଲ୍ୟ ବୁଦ୍ଧି ଓ ଜ୍ଞାନଦୀପ୍ତି ତାଙ୍କଠାରେ ପ୍ରକାଶିତ ହୋଇଥିଲା। ଆଉ ତୁମ୍ଭର ପିତା ରାଜା ନବୂଖଦ୍ନିତ୍ସର ତାଙ୍କୁ ମନ୍ତ୍ରଜ୍ଞ, ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନଙ୍କ ଉପରେ ପ୍ରଧାନ କରି ନିଯୁକ୍ତ କରିଥିଲେ। 12 ମୁଁ ଯେଉଁ ବ୍ୟକ୍ତି ବିଷୟରେ କହୁଛି, ସେ ଦାନିୟେଲ। ରାଜା ତାଙ୍କୁ ବେଲ୍ଟଶତ୍ସର ନାମ ଦେଇଥିଲେ। ସେହି ବେଲ୍ଟଶତ୍ସର ମହାନ ଥିଲେ। ସେ ଜ୍ଞାନୀ, ବୁଦ୍ଧିମାନ ଓ ସ୍ୱପ୍ନଦ୍ରଷ୍ଟା ଅଟନ୍ତି ଓ ସେ ନିଗୂଢ଼ ତଥ୍ୟ ପ୍ରକାଶ କରି ପାରନ୍ତି। ତାଙ୍କୁ ଡକାଅ। ସେ କେବଳ ଏ ଲେଖାର ଅର୍ଥ ବୁଝାଇ ଦେବେ।”
13 ତହୁଁ ଦାନିୟେଲଙ୍କୁ ରାଜାଙ୍କ ଛାମୁକୁ ଅଣାଗଲା। ରାଜା ଦାନିୟେଲଙ୍କୁ କହିଲା, “ମୋର ପିତା ମହାରାଜ ଯିହୁଦା ଦେଶରୁ ଯେଉଁ ନିର୍ବାସିତ ଯିହୁଦୀମାନଙ୍କୁ ଆଣିଥିଲେ ସେମାନଙ୍କ ମଧ୍ୟରେ ତୁମ୍ଭେ ଦାନିୟେଲ ଅନ୍ୟତମ ଅଟକି? 14 ମୁଁ ତୁମ୍ଭ ବିଷୟରେ ଶୁଣୁଅଛି ଯେ ତୁମ୍ଭ ଅନ୍ତରରେ ଦେବଗଣର ଆତ୍ମା ଅଛନ୍ତି ଓ ଜ୍ଞାନ, ଦୀପ୍ତି, ବୁଦ୍ଧି ଓ ଶ୍ରେଷ୍ଠ ମହିମା ତୁମ୍ଭଠାରେ ଦେଖାଯାଏ। 15 ମୋର ରାଜ୍ୟର ଜ୍ଞାନୀ ଲୋକମାନେ ମୋ’ ପାଖକୁ ଆସିଥିଲେ। କିନ୍ତୁ ସେମାନେ କାନ୍ଥରେ ଲେଖା ହୋଇଥିବା ଅର୍ଥ ପ୍ରକାଶ କରି ପାରିଲେ ନାହିଁ। 16 ମୁଁ ତୁମ୍ଭ ବିଷୟରେ ଶୁଣୁଅଛି ଯେ ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦେହ ଭଞ୍ଜନ କରିପାର। ଏବେ ତୁମ୍ଭେ ଯଦି ଏହି ଲେଖା ପାଠ କରି ତହିଁର ଅର୍ଥ ମୋତେ ଜଣାଇ ପାର, ତେବେ ମୁଁ ତୁମ୍ଭକୁ ବାଇଗଣିଆ ବସ୍ତ୍ର ଉପହାର ଦେବି ଓ ତୁମ୍ଭ କଣ୍ଠରେ ସୁବର୍ଣ୍ଣ ହାର ଲମ୍ବାଇବି। ଆଉ ତୁମ୍ଭେ ମୋ’ ରାଜ୍ୟରେ ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବ।”
17 ତା’ପରେ ଦାନିୟେଲ ରାଜାଙ୍କୁ ଉତ୍ତର କରି କହିଲେ, “ହେ ରାଜା ବେଲ୍ଶତ୍ସର, ଆପଣଙ୍କର ଦାନ ଆପଣଙ୍କ ପାଖରେ ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦିଅନ୍ତୁ। ମାତ୍ର ମୁଁ ମହାରାଜାଙ୍କ ଛାମୁରେ ଏହି ଲେଖା ପଢ଼ିବି ଓ ଏହାର ଅର୍ଥ ଆପଣଙ୍କୁ ଜଣାଇବି।
18 “ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ୱର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ୟ, ମହିମା, ଗୌରବ ଓ ପ୍ରତାପ ଦେଲେ। 19 ପରମେଶ୍ୱର ତାଙ୍କୁ ଏପରି ମହିମାନ୍ୱିତ କଲେ ଯେ ସକଳ ଗୋଷ୍ଠୀ, ନାନା ଦେଶୀୟ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁରେ କମ୍ପିତ ହୋଇ ଭୟ କଲେ। ସେ ଯାହାକୁ ମାରିବାକୁ ଗ୍ଭହିଁଲେ ତାକୁ ବଧ କଲେ। ପୁଣି ଯାହାକୁ ବଞ୍ଚିବାକୁ ଗ୍ଭହିଁଲେ, ସେ ଜୀବିତ ରହିଲା। ତାଙ୍କରି ଇଚ୍ଛାନୁସାରେ ଜଣେ ଉନ୍ନତ ହେଲା ଓ ତାଙ୍କର ଇଚ୍ଛାନୁସାରେ ଜଣେ ଅବନତ ହେଲା।
20 “କିନ୍ତୁ ନବୂଖଦ୍ନିତ୍ସର ଗର୍ବୀ ଏବଂ ଜିଦ୍ଖୋର ହେଲେ। ତେଣୁ ତାଙ୍କର ରାଜ୍ୟ ତାଙ୍କଠାରୁ ନିଆଗଲା। ତା’ପରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡ଼ି ଦିଆଗଲା। 21 ତାଙ୍କର ମନ ପଶୁତୁଲ୍ୟ ହେଲା ଓ ସେ ବନ୍ୟ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକରରେ ଭିଜିଲା। ତା’ପରେ ସେ ହୃଦ୍ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ୱର ମନୁଷ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି। ଏବଂ ପରମେଶ୍ୱର ଯାହାକୁ ଗ୍ଭହାନ୍ତି ତାକୁ ସେ ରାଜ୍ୟରେ ନିଯୁକ୍ତି କରି ପାରନ୍ତି।
22 “କିନ୍ତୁ ବେଲ୍ଶତ୍ସର, ଆପଣ ତାଙ୍କର ପୁତ୍ର। ଆପଣ ଏସବୁ ଜାଣିଲେ ମଧ୍ୟ ଆପଣଙ୍କ ଅନ୍ତଃକରଣକୁ ନମ୍ର କରି ନାହାନ୍ତି। 23 ଆପଣ ନମ୍ର ହେବା ପରିବର୍ତ୍ତେ ସ୍ୱର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରୌପ୍ୟ ପାତ୍ରରେ ଆପଣ, ଆପଣଙ୍କ ଅମାତ୍ୟଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମାରେ ଦେବଗଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସେମାନଙ୍କର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରି ନାହାନ୍ତି। 24 ତେଣୁ ସେହି କାରଣରୁ ପରମେଶ୍ୱରଙ୍କର ହସ୍ତ ପ୍ରେରିତ ଲିଖିତ ହେଲା ଓ ଏହି ଲେଖା ଲିଖିତ ହେଲା। 25 କାନ୍ଥରେ ଲିଖିତ ହୋଇଥିବା ଶବ୍ଦଗୁଡ଼ିକ ହେଲା ଏହି:
ମିନେ, ମିନେ, ତକେଲ୍, ଉପାରସୀନ।
26 “ମିନେର ଅର୍ଥ ହେଉଛି,
ପରମେଶ୍ୱର ଆପଣଙ୍କ ରାଜ୍ୟର ଗଣନା କରିଅଛନ୍ତି ଓ ତାହା ଶେଷ କରିଅଛନ୍ତି।
27 ତକେଲର ଅର୍ଥ,
ଆପଣ ନିକିତିରେ ତୌଲା ଯାଇ ଅଛନ୍ତି ଓ ଊଣା ଦେଖା ଯାଇଅଛନ୍ତି।
28 ଉପାରସୀନର ଅର୍ଥ,
ଆପଣଙ୍କ ରାଜ୍ୟ ବିଭକ୍ତ ହୋଇଅଛି
ଆଉ ମାଦୀୟ ଓ ପାରସିକମାନଙ୍କୁ ଦତ୍ତ ହୋଇଅଛି।”
29 ବେଲ୍ଶତ୍ସର ଆଜ୍ଞାରେ ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ବସ୍ତ୍ର ପିନ୍ଧାଇଲେ ଓ ତାଙ୍କ କଣ୍ଠରେ ସୁବର୍ଣ୍ଣର ହାର ଦେଲେ। ଆଉ ସେ ରାଜ୍ୟର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବେ ବୋଲି ଘୋଷଣା କଲେ। 30 ସେହି ରାତ୍ରିରେ କଲ୍ଦୀୟମାନଙ୍କର ରାଜା ବେଲ୍ଶତ୍ସରଙ୍କୁ ବଧ କରାଗଲା। 31 ପୁଣି ମାଦୀୟ ଦାରିୟାବସ ରାଜ୍ୟ ପ୍ରାପ୍ତ ହେଲା। ସେ ସମୟରେ ତାହାର ବୟସ ବାଷଠି ବର୍ଷ ହୋଇଥିଲା।
ଦାନିୟେଲ ଓ ସିଂହଗଣ
6 ଦାରିୟାବସ ଚିନ୍ତାକଲେ ସମୁଦାୟ ରାଜ୍ୟରେ ଶାସନ କରିବକୁ 120 କ୍ଷିତିପାଳ ନିଯୁକ୍ତ କଲେ ଭଲ ହେବ। 2 ସେହି ରାଜା ତିନି ଜଣ ତଦାରଖକାରୀଙ୍କୁ ସୁବେଦାର ଉପରେ ନିଯୁକ୍ତ କଲେ, ଯେପରି ସେମାନେ ରାଜାଙ୍କୁ ଠକି ନ ପାରିବେ ଓ କ୍ଷତି ସହି ପାରିବେ। ଏହି ତିନି ଜଣ ନିରୀକ୍ଷକ ମଧ୍ୟରେ ଦାନିୟେଲ ଥିଲେ ଅନ୍ୟତମ। 3 ଦାନିୟେଲଙ୍କ ଅନ୍ତରରେ ଶ୍ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନଙ୍କ ମଧ୍ୟରେ ବିଖ୍ୟାତ ହୋଇଥିଲେ। ତେଣୁ ରାଜା ତାଙ୍କୁ ସମୁଦାୟ ରାଜ୍ୟ ଉପରେ ଶାସକ ଭାବରେ ନିଯୁକ୍ତ କରିବାକୁ ମନସ୍ଥ କଲେ। 4 ଏଥିରେ ଅନ୍ୟ ଅଧ୍ୟକ୍ଷ ଓ କ୍ଷିତିପାଳମାନେ ଦାନିୟେଲଙ୍କ ପ୍ରତି ଈର୍ଷାଳୁ ହେଲେ ଓ ଦାନିୟେଲଙ୍କର ରାଜକର୍ମ ବିଷୟ ଦୋଷ ଅନୁସନ୍ଧାନ କଲେ। ମାତ୍ର ସେମାନେ କୌଣସି ଦୋଷ ବା ଅପରାଧ ପାଇ ପାରିଲେ ନାହିଁ। କାରଣ ସେ ବିଶ୍ୱସ୍ତ ଥିଲେ ଓ ତାଙ୍କଠାରେ କୌଣସି ଭ୍ରାନ୍ତି ବା ଅପରାଧ ନ ଥିଲା। ସେ ରାଜାଙ୍କୁ ଠକୁ ନ ଥିଲେ ଓ କଠିନ ପରିଶ୍ରମ କରୁଥିଲେ।
5 ଶେଷରେ ସେହି ଲୋକମାନେ କହିଲେ, “ଆମ୍ଭେମାନେ ଦାନିୟେଲଙ୍କ ବିଷୟରେ କୌଣସି ଦୋଷ ପାଇବା ନାହିଁ। ତେଣୁ ତାଙ୍କ ପରମେଶ୍ୱର ବ୍ୟବସ୍ଥା ସମ୍ବନ୍ଧରେ ଦୋଷ ଦେଖିବା।”
6 ତେଣୁ ଏହି ଲୋକମାନେ ରାଜାଙ୍କ ନିକଟକୁ ଗଲେ ଏବଂ କହିଲେ, “ହେ ରାଜ ଦାରିୟାବସ, ଆପଣ ଚିରଜୀବି ହୁଅନ୍ତୁ। 7 ତଦାରଖକାରୀଗଣ, ରାଜପ୍ରତିନିଧିଗଣ, ସୁବେଦାରଗଣ ଓ ମନ୍ତ୍ରୀଗଣ ସମସ୍ତେ ଅଜଣା ଭାବରେ ରାଜି ହେଲେ ଯେ, ଏକ ରାଜକୀୟ ଘୋଷଣା ପତ୍ର ହେବା ଉଚିତ୍। ଯଦି କେହି ତିରିଶ୍ ଦିନ ପର୍ଯ୍ୟନ୍ତ ମହାରାଜା ବିନା କୌଣସି ଦେବତା ବା ମନୁଷ୍ୟ ନିକଟରେ ପ୍ରାର୍ଥନା କରିବ, ତେବେ ତାକୁ ସିଂହର ଗୁମ୍ଫାକୁ ଫିଙ୍ଗାଯିବ। 8 ଏବେ ହେ ମହାରାଜା, ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ଏହି ନିଷେଧ ବିଧି ଯେପରି ପରିବର୍ତ୍ତିତ ନ ହୁଏ, ଏଥିପାଇଁ ତାହା ସ୍ଥିର କରନ୍ତୁ ଓ ଏହି ଲେଖାରେ ସ୍ୱାକ୍ଷର କରନ୍ତୁ।” 9 ତେଣୁ ରାଜା ଦାରିୟାବସ ସେହି ଲେଖା ଓ ନିଷେଧ ସ୍ୱାକ୍ଷର କଲା।
10 ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ। ଯେତେବେଳେ ନୂତନ ବିଧି ବିଷୟରେ ଲେଖା ସ୍ୱାକ୍ଷାରିତ ହୋଇଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କୋଠରୀର ଝରକା ଯିରୁଶାଲମ ଆଡ଼େ ମେଲା ଥିଲା। ସେ ପୂର୍ବପରି ଆଣ୍ଠୁମାଡ଼ି ଦିନ ମଧ୍ୟରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କୁ ଧନ୍ୟବାଦ ପ୍ରଦାନ କଲେ।
11 ତା’ପରେ ସେହି ଲୋକମାନେ ଏକତ୍ରିତ ହୋଇ ଦାନିୟେଲ ନିକଟକୁ ଗଲେ ଓ ତାଙ୍କୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ନିବେଦନ କରୁଥିବାର ଦେଖିଲେ। 12 ତେଣୁ ସେମାନେ ରାଜାଙ୍କ ପାଖକୁ ଗଲେ ଓ ରାଜକୀୟ ବିଧି ବିଷୟରେ ତାଙ୍କୁ ମନେ ପକାଇ ଦେଲେ। ସେମାନେ କହିଲେ, “ହେ ମହାରାଜା, ଯେକୌଣସି ଲୋକ ତିରିଶ୍ ଦିନ ମଧ୍ୟରେ ଆପଣଙ୍କ ବିନା କୌଣସି ଦେବତା କି ମନୁଷ୍ୟ ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ। ଏପରି ଏକ ନିଷେଧ ପତ୍ରରେ ଆପଣ ସ୍ୱାକ୍ଷର କରି ନାହାନ୍ତି କି?”
ରାଜା କହିଲେ, “ହଁ, ମୁଁ ସେ ନିଷେଧ ପତ୍ରରେ ସ୍ୱାକ୍ଷର କରିଛି।’ ଆଉ ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ତାହା ସ୍ଥିର ହୋଇଅଛି।”
13 ତା’ପରେ ସେମାନେ ରାଜାଙ୍କୁ ଉତ୍ତର ଦେଲେ, “ହେ ମହାରାଜ, ନିର୍ବାସିତ ଯିହୁଦୀ ସନ୍ତାନଗଣ ମଧ୍ୟରେ ଜଣେ ବ୍ୟକ୍ତି ଦାନିୟେଲ, ସେ ଆପଣଙ୍କୁ କି ଆପଣଙ୍କ ସ୍ୱାକ୍ଷରିତ ନିଷେଧ ପତ୍ରକୁ ମାନ୍ୟ କରେ ନାହିଁ। ସେ ଏବେ ମଧ୍ୟ ଦିନରେ ତିନିଥର ତା’ର ପରମେଶ୍ୱରକୁ ପ୍ରାର୍ଥନା କରୁଛି।”
14 ତହୁଁ ରାଜା ଦୁଃଖିତ ଓ ବିବ୍ରତ ହୋଇ ପଡ଼ିଲା। ସେ ଦାନିୟେଲକୁ ଉଦ୍ଧାର କରିବା ପାଇଁ ସ୍ଥିର କଲା। ଆଉ ତାହାକୁ ରକ୍ଷା କରିବା ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ଉପାୟ ଚିନ୍ତା କଲା। 15 ତା’ପରେ ସେହି ଲୋକମାନେ ଏକତ୍ରିତ ହୋଇ ରାଜାଙ୍କୁ କହିଲେ, “ହେ ମହାରାଜା, ଆପଣ ଜାଣନ୍ତୁ, ମାଦୀୟ ଓ ପାରସିକମାନଙ୍କର ଏପରି ଏକ ବ୍ୟବସ୍ଥା ଅଛି, ରାଜା କୌଣସି ନିଷେଧାଜ୍ଞା ବା ବିଧି ସ୍ଥାପନ କଲେ ତାହା କେବେ ପରିବର୍ତ୍ତିତ ହୁଏ ନାହିଁ।”
16 ତହୁଁ ରାଜାଙ୍କ ଆଦେଶରେ ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। କିନ୍ତୁ ରାଜା ଦାନିୟେଲଙ୍କୁ କହିଲେ, “ତୁମ୍ଭେ ଯେଉଁ ପରମେଶ୍ୱରଙ୍କର ଉପାସନା କରୁଛ, ସେ ତୁମ୍ଭକୁ ଉଦ୍ଧାର କରିବେ।” 17 ପୁଣି ଏକ ବଡ଼ ପଥର ଅଣାଯାଇ ଗର୍ତ୍ତ ମୁଖରେ ରଖାଗଲା। ପୁଣି ରାଜା ନିଜର ମୁଦ୍ରାରେ ଓ ନିଜ ଅମାତ୍ୟଗଣଙ୍କ ମୁଦ୍ରାରେ ତାହା ଅଙ୍କିତ କଲା। ଏହା କରାଗଲା କାରଣ ସେହି ଦାନିୟେଲଙ୍କୁ ଗର୍ତ୍ତରୁ ବାହାର କରିବାକୁ ପଥର ଘୁଞ୍ଚାଇବେ ନାହିଁ। 18 ତା’ପରେ ରାଜା ଆପଣା ପ୍ରାସାଦକୁ ଯାଇ ଉପବାସରେ ରାତ୍ରି ଯାପନ କଲେ। ଆଉ ବାଦ୍ୟଯନ୍ତ୍ର ବଜାଇ ତାଙ୍କ ଆଗକୁ ଆସିବାକୁ କାହାରିକୁ ଅନୁମତି ମିଳିଲା ନାହିଁ। ରାତ୍ରିସାରା ସେ ଉଜାଗର ରହିଲେ।
19 ପରଦିନ ପ୍ରଭାତରେ ରାଜା ସିଂହମାନଙ୍କ ଗୁମ୍ଫା ନିକଟରେ ତରବର ହୋଇ ପହଞ୍ଚିଲେ। 20 ଚିନ୍ତିତ ରାଜା ଦାନିୟେଲଙ୍କୁ ବିଳାପ ସ୍ୱରରେ ଡାକିଲା, “ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ପ୍ରତିଦିନ ଯେଉଁ ପରମେଶ୍ୱରଙ୍କୁ ସେବା କରୁଅଛ, ସେହି ପରମେଶ୍ୱର ତୁମ୍ଭକୁ ସିଂହମାନଙ୍କଠାରୁ ଉଦ୍ଧାର କରିଛନ୍ତି କି?”
21 ଦାନିୟେଲ ଉତ୍ତର କଲେ, “ହେ ରାଜା ଚିରଜୀବୀ ହୁଅନ୍ତୁ। 22 ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କର ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି। କାରଣ ମୋର ପ୍ରଭୁ ଜାଣନ୍ତି ମୁଁ ନିର୍ଦ୍ଦୋଷ। ଆଉ ମୁଁ ମହାରାଜାଙ୍କର କୌଣସି କ୍ଷତି କରି ନାହିଁ।”
23 ରାଜା ଦାରିୟାବସ ଅତ୍ୟନ୍ତ ଆନନ୍ଦିତ ହୋଇ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଦେଶ ଦେଲା। ଆଉ ଦାନିୟେଲ ସେହି ଗର୍ତ୍ତରୁ ଆସିଲେ, ତାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନ ଥିଲା। କାରଣ ସେ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଥିଲେ।
24 ତା’ପରେ ରାଜା ଦାନିୟେଲଙ୍କ ବିରୁଦ୍ଧରେ ଅଭିଯୋଗକାରୀଙ୍କୁ ଆଣିବାକୁ ଆଜ୍ଞା କଲା। ତେଣୁ ସେମାନଙ୍କର ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କ ସହିତ ସମସ୍ତଙ୍କୁ ଆଣି ସିଂହମାନଙ୍କ ଗୁମ୍ଫାରେ ନିକ୍ଷେପ କଲେ। ତଳେ ନ ପଡ଼ୁଣୁ ସିଂହମାନେ ସେମାନଙ୍କୁ ଭକ୍ଷ୍ୟଣ କରି ସେମାନଙ୍କର ଅସ୍ଥିଗୁଡ଼ିକୁ ଚର୍ବଣ କଲେ।
25 ସେତେବେଳେ ଦାରିୟାବସ ସମଗ୍ର ପୃଥିବୀବାସୀ, ସମସ୍ତ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନଙ୍କୁ ପତ୍ର ଲେଖିଲା।
ତୁମ୍ଭମାନଙ୍କ ପ୍ରତି ବାହୁଲ୍ୟରୂପରେ ଶାନ୍ତି ହେଉ।
26 “ମୁଁ ଆଦେଶ ଦେଲି ଯେ, ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ୱରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍।
ସେ ଜୀବିତ ପରମେଶ୍ୱର
ଓ ନିତ୍ୟସ୍ଥାୟୀ ଅଟନ୍ତି।
ତାଙ୍କର ରାଜ୍ୟ ଅବିନାଶୀ
ଓ ତାଙ୍କର ପ୍ରଭୁତ୍ୱର ଅନ୍ତ ନାହିଁ।
27 ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି।
ସେ ସ୍ୱର୍ଗରେ ଓ ପୃଥିବୀରେ ଅଦ୍ଭୂତ ଓ ଅଲୌକିକ କାର୍ଯ୍ୟ ସମ୍ପାଦନ କରନ୍ତି।
ସେ ଦାନିୟେଲଙ୍କୁ ସିଂହମାନଙ୍କଠାରୁ ଉଦ୍ଧାର କରିଅଛନ୍ତି।”
28 ଏହିରୂପେ ଦାନିୟେଲ ଦାରିୟାବସର ରାଜତ୍ୱ କାଳରେ ଓ ପାରସିକ କୋରସର ରାଜତ୍ୱକାଳରେ ସଫଳକାମୀ ହେଲେ।
2010 by Bible League International