ଗୀତସଂହିତା 52
Odia Holy Bible: Easy-to-Read Version
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍, “ଦାଉଦ ଅହୀମେଲକର ଗୃହରେ ଅଛନ୍ତି” ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ।
52 ହେ ଶ୍ରେଷ୍ଠ ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି?
ପରମେଶ୍ୱରଙ୍କ ବିଶ୍ୱସ୍ତ ପ୍ରେମ ମୋତେ ଦିନ ତମାମ ସୁରକ୍ଷା କରିବ।
2 ତୁମ୍ଭେ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଅଛ।
ତୁମ୍ଭର ଜିହ୍ୱା କ୍ଷୁରତୁଲ୍ୟ ତୀକ୍ଷ୍ଣ।
ତୁମ୍ଭେ ମିଥ୍ୟା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ!
3 ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ।
ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ୟା କହିବାକୁ ଅଧିକ ଭଲ ପାଉଛ।
4 ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ୱାକୁ ଭଲ ପାଉଛ।
5 ଏଣୁ ପରମେଶ୍ୱର ଚିରଦିନ ପାଇଁ ତୁମ୍ଭକୁ ଧ୍ୱଂସ କରିବେ।
ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ।
ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।
6 ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହେବେ।
ସେମାନେ ତୁମ୍ଭକୁ ପରିହାସ କରି କହିବେ।
7 “ଦେଖ, ତାଙ୍କୁ କ’ଣ ହେଲା।
ସେ ରକ୍ଷା ପାଇବା ପାଇଁ ପରମେଶ୍ୱରଙ୍କୁ ବିଶ୍ୱାସ କଲା ନାହିଁ।
ସେ ଭାବିଲା, ତା’ର ଧନ ଏବଂ ମିଥ୍ୟା ତାକୁ ଉଦ୍ଧାର କରିବ।”
8 କିନ୍ତୁ ମୁଁ ପରମେଶ୍ୱରଙ୍କ ମନ୍ଦିରରେ ବଢ଼ୁଥିବା ଏକ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି।
ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ପ୍ରେମରେ ବିଶ୍ୱାସ କରେ।
9 ପରମେଶ୍ୱର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି।
ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
2010 by Bible League International