ବଂଶାବଳୀର ଦ୍ୱିତୀୟ ପୁସ୍ତକ 12
Odia Holy Bible: Easy-to-Read Version
ମିଶରର ରାଜା ଶୀଶକ୍ ଯିରୁଶାଲମ ଆକ୍ରମଣ କରନ୍ତି
12 ରିହବିୟାମ୍ ଜଣେ ଅତ୍ୟନ୍ତ ପରାକ୍ରମୀ ରାଜା ହୋଇ ଉଠିଲେ, ଆହୁରି ମଧ୍ୟ ସେ ନିଜ ରାଜ୍ୟକୁ ଦୃଢ଼ କଲେ। ଏହା ପରେ ରିହବିୟାମ୍ ଓ ସମସ୍ତ ଇସ୍ରାଏଲୀୟ ସଦାପ୍ରଭୁଙ୍କ ନିୟମ ମାନିବାକୁ ମନା କଲେ।
2 ରାଜା ରିହବିୟାମଙ୍କ ପଞ୍ଚମ ବର୍ଷରେ ଶୀଶକ୍ ଯିରୁଶାଲମ ନଗରକୁ ଆକ୍ରମଣ କଲା। ଏହା ଘଟିଲା, କାରଣ ସେମାନେ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ନ ଥିଲେ। 3 ଶୀଶକ୍ର 12,000 ରଥ, 60,000 ଅଶ୍ୱାରୋହୀ ଓ ଏତେ ସଂଖ୍ୟକ ସୈନ୍ୟଦଳ ଥିଲେ ଯେ, ଯାହାକୁ କୌଣସି ବ୍ୟକ୍ତି ଗଣନା କରି ପାରିବ ନାହିଁ। ଶୀଶକ୍ର ବିଶାଳ ସୈନ୍ୟବାହିନୀରେ ଲୂବୀୟର ସୈନ୍ୟ ସୁକ୍କୀୟ ସୈନ୍ୟ ଓ କୁଶୀୟ ସୈନ୍ୟମାନେ ଥିଲେ। 4 ଶୀଶକ୍ ଯିହୁଦାର ଦୃଢ଼ ନଗରଗୁଡ଼ିକୁ ପରାସ୍ତ କଲା। ଏହା ପରେ ଶୀଶକ୍ ଯିରୁଶାଲମକୁ ଆସିଲା।
5 ଏହା ପରେ ଭବିଷ୍ୟଦ୍ବକ୍ତା ଶମୟିୟ, ରିହବିୟାମ୍ ନିକଟକୁ ଓ ଯିହୁଦାର ନେତାମାନଙ୍କ ନିକଟକୁ ଆସିଲେ। ଯିହୁଦାର ସେହି ନେତାମାନେ ଯିରୁଶାଲମରେ ରୁଣ୍ଡ ହୋଇଥିଲେ। କାରଣ ସେମାନେ ଶୀଶକଙ୍କୁ ଅତ୍ୟନ୍ତ ଭୟ କରୁଥିଲେ। ଶମୟିୟ ସେମାନଙ୍କୁ କହିଲେ, “ସଦାପ୍ରଭୁ କହନ୍ତି: ‘ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଛ। ତେଣୁ ବର୍ତ୍ତମାନ ଆମ୍ଭର ସାହାଯ୍ୟ ବିନା ଶୀଶକ୍ର ସମ୍ମୁଖୀନ ହେବା ନିମନ୍ତେ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିଅଛୁ।’”
6 ଏହା ପରେ ଇସ୍ରାଏଲର ନେତାଗଣ ଓ ରାଜା ରିହବିୟାମ୍ ଅନୁତାପ କଲେ ଓ ନିଜ ନିଜକୁ ନମ୍ର କଲେ। ସେମାନେ କହିଲେ, “ସଦାପ୍ରଭୁ ଠିକ୍ କହି ଅଛନ୍ତି।”
7 ସଦାପ୍ରଭୁ ଦେଖିଲେ ଯେ, ସେମାନେ ନିଜକୁ ନମ୍ର କରିଛନ୍ତି। ଏହା ପରେ ସଦାପ୍ରଭୁଙ୍କର ବାର୍ତ୍ତା ଶମୟିୟଙ୍କ ନିକଟକୁ ଆସିଲା। ସଦାପ୍ରଭୁ ଶମୟିୟଙ୍କୁ କହିଲେ, “ସେମାନେ ନିଜକୁ ନମ୍ର କରିଅଛନ୍ତି। ତେଣୁ ଆମ୍ଭେ ସେମାନଙ୍କୁ ବିନଷ୍ଟ କରିବା ନାହିଁ, କିନ୍ତୁ ଆମ୍ଭେ ସେମାନଙ୍କୁ ଅଳ୍ପ ଉପଶମ ଦେବା। କିନ୍ତୁ ଯିରୁଶାଲମ ଉପରେ ଆମ୍ଭର କ୍ରୋଧ ଢାଳିବା ନିମନ୍ତେ ଆମ୍ଭେ ଶୀଶକ୍କୁ ବ୍ୟବହାର କରିବା ନାହିଁ। 8 କିନ୍ତୁ ଯିରୁଶାଲମର ଲୋକମାନେ ଶୀଶକ୍ର ଦାସ ହେବେ। ସେମାନେ ଯେପରି ଶିକ୍ଷା କରିବେ, ଆମ୍ଭର ସେବା କରିବା ଅନ୍ୟ ଦେଶୀୟ ରାଜାମାନଙ୍କର ସେବା କରିବାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ, ଏଥିନିମନ୍ତେ ଏହା ଘଟିବ।”
9 ଶୀଶକ୍ ଯିରୁଶାଲମ ଉପରେ ଆକ୍ରମଣ କଲେ ଓ ସଦାପ୍ରଭୁଙ୍କ ମନ୍ଦିରରେ ଥିବା ଧନସମ୍ପତ୍ତି ସବୁ ଲୁଟି ନେଇଗଲେ। ଶୀଶକ୍ ମିଶରର ରାଜା ଥିଲେ। ଆଉ ସେ ରାଜାଙ୍କ ଗୃହରେ ଥିବା ଧନସମ୍ପତ୍ତି ସବୁ ଲୁଟି ନେଇଗଲେ। ଆହୁରି ମଧ୍ୟ ସେ ଶଲୋମନ ନିର୍ମାଣ କରିଥିବା ସୁବର୍ଣ୍ଣ ଢାଲ ନେଇଗଲେ। 10 ରାଜା ରିହବିୟାମ୍ ସେହି ସୁବର୍ଣ୍ଣ ଢାଲ ରଖିବା ସ୍ଥାନରେ ପିତ୍ତଳର ଢାଲମାନ ନିର୍ମାଣ କଲେ। ରାଜାଙ୍କ ଗୃହର ପ୍ରବେଶଦ୍ୱାରକୁ ଜଗିବା ନିମନ୍ତେ ନିଯୁକ୍ତ ହୋଇଥିବା ସେନାଧ୍ୟକ୍ଷମାନଙ୍କୁ ରିହବିୟାମ୍ ସେହି ପିତ୍ତଳ ଢାଲମାନ ଦେଲେ। 11 ରାଜା ଯେତେଥର ସଦାପ୍ରଭୁଙ୍କ ମନ୍ଦିର ଭିତରେ ପ୍ରବେଶ କଲେ, ସେତେଥର ରକ୍ଷୀମାନେ ସେହି ପିତ୍ତଳ ଢାଲଗୁଡ଼ିକୁ ଆଣିଲେ। ପୁଣି ସେମାନେ ପୁନର୍ବାର ସେହି ପିତ୍ତଳ ଢାଲଗୁଡ଼ିକୁ ରକ୍ଷୀଗୁଡ଼ିକୁ ଫେରାଇ ଆଣିଲେ।
12 ରିହବିୟାମ୍ ଯେତେବେଳେ ନିଜକୁ ନମ୍ର କଲେ, ସଦାପ୍ରଭୁ ରିହବିୟାମଙ୍କଠାରୁ ଆପଣା କ୍ରୋଧ ଫେରାଇ ନେଇଗଲେ। ତେଣୁ ସଦାପ୍ରଭୁ ରିହବିୟାମଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲେ ନାହିଁ। ଯିହୁଦାର କିଛି ମଙ୍ଗଳ ହେଲା।
13 ରାଜା ରିହବିୟାମ୍ ଯିରୁଶାଲମରେ ନିଜକୁ ଶକ୍ତିଶାଳୀ କଲେ। ସେ ଯେତେବେଳେ ରାଜା ହେଲେ, ସେତେବେଳେ ତାଙ୍କୁ ଏକଗ୍ଭଳିଶ ବର୍ଷ ବୟସ ହୋଇଥିଲା। ରିହବିୟାମ୍ ସତର ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରେ ରାଜା ହୋଇ ରହିଲେ। ଇସ୍ରାଏଲର ସମସ୍ତ ବଂଶ ମଧ୍ୟରୁ ସଦାପ୍ରଭୁ ଯିରୁଶାଲମ ନଗରକୁ ହିଁ ମନୋନୀତ କରିଥିଲେ। ସଦାପ୍ରଭୁ ଯିରୁଶାଲମରେ ତାଙ୍କର ନାମ ସ୍ଥାପନ କରିବାକୁ ମନୋନୀତ କଲେ। ରିହବିୟାମଙ୍କ ମାତା ଥିଲେ ନୟମା। ନୟମା ଅମ୍ମୋନ ଦେଶରୁ ଆସିଥିଲେ। 14 ରିହବିୟାମ୍ ମନ୍ଦକର୍ମ କଲେ, କାରଣ ସେ ତାଙ୍କ ହୃଦୟରେ ସଦାପ୍ରଭୁଙ୍କର ବାଧ୍ୟ ହେବା ନିମନ୍ତେ ସିଦ୍ଧାନ୍ତ ନେଇ ନ ଥିଲେ।
15 ରିହବିୟାମ୍ ଯେତେବେଳେ ରାଜା ଥିଲେ, ତାଙ୍କର ରାଜତ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଉଁ କର୍ମସବୁ କରିଥିଲେ, ସେହିସବୁ ଭବିଷ୍ୟଦ୍ବକ୍ତା ଶମୟିୟଙ୍କ ଲିଖିତ ସକଳ ବିଷୟ ଓ ଦାର୍ଶନିକ ଇଦ୍ଦୋଙ୍କ ଲିଖିତ ସକଳ ବିଷୟରେ ଲିପିବଦ୍ଧ କରାଯାଇଅଛି। ସେହି ବ୍ୟକ୍ତିମାନେ ପାରିବାରିକ ଇତିହାସ ସବୁ ଲେଖିଥିଲେ। ରିହବିୟାମ୍ ଓ ଯାରବିୟାମ୍ ଏହି ଦୁଇ ରାଜାଙ୍କ ମଧ୍ୟରେ, ସେମାନଙ୍କ ରାଜତ୍ୱ କାଳରେ ସବୁ ସମୟରେ ଯୁଦ୍ଧ ଲାଗି ରହିଥିଲା। 16 ରିହବିୟାମ୍ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ ବିଶ୍ରାମ ନେଲେ। ରିହବିୟାମଙ୍କୁ ଦାଉଦଙ୍କ ନଗରରେ କବର ଦିଆଗଲା। ଏହା ପରେ ରିହବିୟାମଙ୍କ ପୁତ୍ର ଅବିୟ ନୂତନ ରାଜା ହେଲେ।
2010 by Bible League International