ଆଦିପୁସ୍ତକ 28:10-17
Odia Holy Bible: Easy-to-Read Version
10 ଯାକୁବ ବେର୍ଶେବା ଛାଡ଼ି ହାରଣକୁ ଗଲେ। 11 ଯାକୁବ ଯାତ୍ରା କରିଥିବା ସମୟରେ ସୂର୍ଯ୍ୟାସ୍ତ ହେଲା। ତେଣୁ ଯାକୁବ ରାତ୍ରି ଯାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସେହି ସ୍ଥାନରେ ପଥର ଉପରେ ମୁଣ୍ଡ ଦେଇ ସେ ଶୋଇ ପଡ଼ିଲେ। 12 ଯାକୁବ ଏକ ସ୍ୱପ୍ନ ଦେଖିଲେ। ସେ ସ୍ୱପ୍ନରେ ଦେଖିଲେ ଯେ ଏକ ଶିଡ଼ି ଭୂମିରୁ ସ୍ୱର୍ଗକୁ ଲାଗିଛି। ଯାକୁବ ଦେଖିଲେ ପରମେଶ୍ୱରଙ୍କର ଦୂତଗଣ ସେହି ଶିଡ଼ି ଦେଇ ଚଢୁଛନ୍ତି ଓ ଓହ୍ଲାଉଛନ୍ତି। 13 ଯାକୁବ ଦେଖିଲେ ସଦାପ୍ରଭୁ ସେହି ଶିଡ଼ି ପାଖରେ ଛିଡ଼ା ହୋଇଛନ୍ତି। ସଦାପ୍ରଭୁ କହୁଥିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ୱର, ମଧ୍ୟ ଇସ୍ହାକର ପରମେଶ୍ୱର। ତୁମ୍ଭେ ଶୋଇଥିବା ଭୂମି ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଦେବା। 14 ତୁମ୍ଭର ବହୁତ ବଂଶ ହେବେ। ତାହା ପୃଥିବୀର ଧୂଳି ପରି ଅସଂଖ୍ୟ ହେବେ। ସେମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ୟାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ।
15 “ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ତୁମ୍ଭକୁ ସବୁଠାରେ ସୁରକ୍ଷା ଦେବା। ପୁଣି ଆମ୍ଭେ ତୁମ୍ଭକୁ ଏହି ଭୂମିକୁ ଫେରାଇ ଆଣିବୁ। ଆମ୍ଭର ପ୍ରତିଜ୍ଞା ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଛାଡ଼ୁ ନାହୁଁ।”
16 ଏହା ପରେ ଯାକୁବ ନିଦ୍ରାରୁ ଉଠିଲେ, ଏବଂ କହିଲେ, “ମୁଁ ଜାଣେ ଯେ ସଦାପ୍ରଭୁ ଏହିଠାରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠାରେ ଥିଲେ ବୋଲି ଜାଣି ନ ଥିଲି।”
17 ଯାକୁବ ଭୟ କଲେ ଓ ସେ କହିଲେ, “ଏହି ସ୍ଥାନ ଭୟାନକ ଅଟେ। ଏହା ପରମେଶ୍ୱରଙ୍କର ପବିତ୍ର ଗୃହ ଅଟେ। ଏହି ସ୍ଥାନ ହେଉଛି ସ୍ୱର୍ଗର ଦ୍ୱାର।”
Read full chapter2010 by Bible League International