ମାଥିଉ ଲିଖିତ ସୁସମାଗ୍ଭର 3:1-12
Odia Holy Bible: Easy-to-Read Version
ବାପ୍ତିଜକ ଯୋହନଙ୍କ କାର୍ଯ୍ୟ
(ମାର୍କ 1:1-8; ଲୂକ 3:1-9,15-17; ଯୋହନ 1:19-28)
3 ସେହି ସମୟରେ ବାପ୍ତିଜକ ଯୋହନ ଆସି ଯିହୂଦା ପ୍ରଦେଶର ପ୍ରାନ୍ତର ମଧ୍ୟରେ ଘୋଷଣା କରି କହିବାକୁ ଲାଗିଲେ 2 “ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ଶୀଘ୍ର ଆସୁଅଛି।” 3 ସେହି ଯୋହନଙ୍କ ବିଷୟରେ ଭବିଷ୍ୟଦ୍ବକ୍ତା ଯିଶାଇୟ କହୁଥିଲେ,
“ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର:
‘ପ୍ରଭୁଙ୍କର ପଥ ପ୍ରସ୍ତୁତ କର,
ତାହାଙ୍କ ରାଜପଥ ସଳଖ କର।’”(A)
4 ଯୋହନଙ୍କ ବସ୍ତ୍ର ଓଟ ଲୋମରେ ତିଆରି ହୋଇଥିଲା, ସେ ଅଣ୍ଟାରେ ଚମଡ଼ା ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା। 5 ସେ ସମୟରେ ଯିରୁଶାଲମ, ସମଗ୍ର ଯିହୂଦା ରାଜ୍ୟ ଓ ଯର୍ଦ୍ଦନ ନଦୀର ଦୁଇପାଖ ଅଞ୍ଚଳରେ ଥିବା ଲୋକ ଯୋହନଙ୍କ ପାଖକୁ ଉପଦେଶ ଶୁଣିବାକୁ ଆସିଲେ। 6 ସେମାନେ ନିଜ ନିଜ ପାପ ସ୍ୱୀକାର କଲେ। ଯୋହନ ଯର୍ଦ୍ଦନ ନଦୀରେ ସେମାନଙ୍କୁ ବାପ୍ତିସ୍ମ ଦେଲେ।
7 ଅନେକ ଫାରୂଶୀ ଓ ସାଦ୍ଦୂକୀମାନେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସେମାନଙ୍କୁ ଦେଖି ଯୋହନ କହିଲେ, “ହେ କାଳସର୍ପଗଣ! ତୁମ୍ଭେ ପ୍ରଭୁଙ୍କ ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚେତାବନୀ ଦେଲେ? 8 ତୁମ୍ଭକୁ ନିଜର କାର୍ଯ୍ୟ ଦ୍ୱାରା ପ୍ରକାଶ କରିବାକୁ ହେବ ଯେ, ତୁମ୍ଭେ ବାସ୍ତବରେ ମନ ପରିର୍ତ୍ତନ କରିଅଛ। 9 ତୁମ୍ଭେମାନେ ନିଜକୁ ଅବ୍ରହାମଙ୍କ ସନ୍ତାନ ବୋଲି କହିଦେଲେ ଯେ ଯଥେଷ୍ଟ ହୋଇଗଲା, ସେ କଥା କେବେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରି ପାରିବେ। 10 ଗଛର ମୂଳ ଉପରେ କୁହ୍ରାଡ଼ି ରଖା ଯାଇସାରିଲାଣି। ଯେଉଁସବୁ ଗଛ ଭଲ ଫଳ ଦେଉ ନାହାନ୍ତି, ସେଗୁଡ଼ିକୁ କାଟି ନିଆଁରେ ପକେଇ ଦିଆଯିବ।
11 “ତୁମ୍ଭେମାନେ ମନ ପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳରେ ବାପ୍ତିସ୍ମ ଦେଉଛି, କିନ୍ତୁ ମୋ'ପରେ ଯେ ଆସୁଛନ୍ତି, ସେ ମୋ'ଠାରୁ ମହାନ। ମୁଁ ତ ତାହାଙ୍କର ଜୋତା ବୋହି ନେବାକୁ ମଧ୍ୟ ଯୋଗ୍ୟ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। 12 ତାହାଙ୍କ ହାତରେ କୁଲା ଅଛି। ସେଥିରେ ସେ ଶସ୍ୟ ସବୁରୁ ଅଗାଡ଼ି ତକ ଅଲଗା କରିଦେବେ। ସେ ତାହାଙ୍କ ଖଳାରୁ ପରିଷ୍କାର ହୋଇଥିବା ଶସ୍ୟତକ ଏକାଠି କରିନେଇ ଅମାର ଭିତରେ ରଖି ଦେବେ ଓ ଅଗାଡ଼ି, କାଠି-କୁଟାତକ ନିଆଁରେ ପକେଇ ଦେବେ। ସେ ନିଆଁ କେବେ ହେଲେ ଲିଭିବ ନାହିଁ।”
Read full chapter2010 by Bible League International